ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ଦୁଇ ରାଜ୍ୟ ଓ ଏକ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହୋଇଛି। ଆସାମ, କେରଳମ୍ ଏବଂ ପୁଡୁଚେରୀରେ ଗୋଟିଏ ପର୍ୟ୍ୟାୟରେ ମତଦାନ ହୋଇଛି । ଆସାମର ୧୨୬ଟି ଆସନ, କେରଳମ୍ର ୧୪୦ ଓ ପୁଡୁଚେରୀର ୩୦ ଆସନ ପାଇଁ ମତଦାନ ହୋଇଛି । ଆସାମର ଶାସନ କ୍ଷମତା ହାସଲ କରିବା ପାଇଁ ମୁଖ୍ୟତ ଲଢ଼େଇ ବିଜେପି ନେତୃତ୍ୱାଧୀନ ଏନଡିଏ ଏବଂ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଣ୍ଟ ମଧ୍ୟରେ ହେଉଛି । ଆସାମର ୩୫ଟି ଜିଲ୍ଲାର ୩୧,୪୯୦ଟି ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ମତଦାନ ହୋଇଛି । ରାଜ୍ୟରେ ନିଜର ମତ ସାବ୍ୟସ୍ଥ କରିଛନ୍ତି ପ୍ରାୟ ୨.୫କୋଟି ଭୋଟର । ଆସାମରେ ବିଜେପି ଲଗାତାର ତୃତୀୟ ଥର ପାଇଁ କ୍ଷମତା ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ କଂଗ୍ରେସ କ୍ଷମତାକୁ ଫେରିବାକୁ ଜୋରଦାର ଚେଷ୍ଟା କରିଛି । ଆସାମ ନିର୍ବାଚନ ମଇଦାନରେ ୭୨୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, କଂଗ୍ରେସ ନେତା ଗୌରବ ଗୋଗୋଇ, ବିରୋଧୀଦଳର ନେତା ଦେବବ୍ରତ ସାଇକିଆ, ଏଆଇୟୁଡିଏଫ୍ ମୁଖ୍ୟ ବଦରୁଦ୍ଦିନ ଅଜମଲ, ରାୟଜୋର ଦଳର ଅଖିଲ ଗୋଗୋଇ ଏବଂ ଏଜେପି ସଭାପତି ଲୁରିଞ୍ଜୋତି ଗୋଗୋଇ ଅଛନ୍ତି । ସେହିପରି କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ମତଦାନ ଶାନ୍ତିପୁର୍ଣ୍ଣ ଭାବେ ସଂମ୍ପର୍ଣ୍ଣ ହୋଇଛି । ୩୦ଟି ବିଧାନସଭା କ୍ଷେତ୍ରରେ ପ୍ରାୟ ୯.୫ ନିୟୁତ ଭୋଟର ୨୯୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିଛନ୍ତି । ପୁଡୁଚେରୀରେ ୧,୦୯୯ଟି ମତଦାନ କେନ୍ଦ୍ର ମଧ୍ୟରୁ ୩୦ ଟି ବୁଥ୍ ସମ୍ପୂର୍ଣ୍ଣ ଭାବରେ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହୋଇଥିବା ବେଳେ ୧୫ ଟି ବୁଥ୍ ଯୁବ ଅଧିକାରୀ ମାନେ ମାନେ ପରିଚାଳନା କରିଛନ୍ତି ।
ଇଶ୍ୱରଙ୍କ ରାଜ୍ୟ କୁହାଯାଉଥିବା କେରଳମ୍ରେ ୮୩୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିଛନ୍ତି ୨.୭୧କୋଟିରୁ ଅଧିକ ଭୋଟର । ନିର୍ବାଚନ ମଇଦାନରେ ଏଲଡିଏଫ୍ , ୟୁଡିଏଫ୍, ଏନଡିଏ ଆଦି ଦଳ ମାନେ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ମୁଖ୍ୟ ଲଢେଇ ଏଲଡିଏଫ୍ ଓ ୟୁଡିଏଫ୍ ମଧ୍ୟରେ ହେଉଛି ବୋଲି ଆଶାକରାଯାଉଛି । (ଏଲଡିଏଫ୍) କ୍ଷମତାକୁ ଫେରିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ, (ୟୁଡିଏଫ୍) ଦଶନ୍ଧି ପରେ ପୁର୍ନବାର କ୍ଷମତାକୁ ଫେରିବାକୁ ଚେଷ୍ଟା କରୁଛି । ସେପଟେ ବିଜେପି ନେତୃତ୍ୱାଧୀନ ଏନଡିଏ ଦକ୍ଷିଣ ରାଜ୍ୟରେ ବିଶେଷ କିଛି ଆଶା ନ ରଖି ନିଜର ଭୋଟର ଆଧାର ବଢାଇବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାର ଦେଖାଯାଉଛି । ତିନୋଟି ରାଜ୍ୟ ଆସାମ, କେରଳ ଏବଂ ପୁଡୁଚେରୀ ରେ ହେଉଥିବା ବିଧାନସଭା ନିର୍ବାଚନକୁ ୨୩ ଦେଶର ୪୩ ଜଣ ପ୍ରତିନିଧି ପର୍ୟ୍ୟବେକ୍ଷଣ କରିଛନ୍ତି । ନିର୍ବାଚନ ହେଉଥିବା ରାଜ୍ୟ ମାନଙ୍କରେ ସ୍ଥାନିୟ ପୁଲିସ ସହ କେନ୍ଦ୍ରୀୟ ବାହିନୀ ମୁତୟନ କରାଯାଇ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭୋଟ ଗଣତି ୪ ମଇରେ ହେବ । ଶାନ୍ତିପୂର୍ଣ୍ଣ ମତଦାନ ସୁନିଶ୍ଚିତ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ କମିସନର ପି. ଜବାହର କହିଛନ୍ତି।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved