ଓଡ଼ିଶା ଚଳଚ୍ଚିତ୍ର ଜଗତର ଗର୍ବ ଓ ଗୌରବ କୁହାଯାଉଥିବା 'କଳିଙ୍ଗ ଷ୍ଟୁଡିଓ'ର ପୁନରୁଦ୍ଧାର କାମକୁ ନେଇ ଏବେ ବଡ଼ ବିବାଦ ସାମ୍ନାକୁ ଆସିଛି। ତତ୍କାଳୀନ ବିଜେଡି ସରକାର ଅମଳରେ ହୋଇଥିବା ୨୦୦ କୋଟି ଟଙ୍କାର ଏହି ମେଗା ପ୍ରକଳ୍ପରେ ବ୍ୟାପକ ଆର୍ଥିକ ଅନିୟମିତତା ଓ ଦୁର୍ନୀତି ହୋଇଥିବା ନେଇ ଗମ୍ଭୀର ଅଭିଯୋଗ ଆଣିଛି ଓଡ଼ିଶା ଚଳଚ୍ଚିତ୍ର ନିର୍ମାତା ସଂଘ।
୨୦୦ କୋଟିର ପ୍ରକଳ୍ପ, ହେଲେ ସୁଟିଂ କରିବା କାଠିକର ପାଠ!
୨୬ ଏକର ପରିମିତ ଜମିରେ କଳିଙ୍ଗ ଷ୍ଟୁଡିଓକୁ ଏକ ଅତ୍ୟାଧୁନିକ ଫିଲ୍ମ ସିଟିରେ ରୂପାନ୍ତରିତ କରିବା ପାଇଁ ସେତେବେଳେ ୨୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। କାଗଜପତ୍ରରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇସାରିଥିଲେ ମଧ୍ୟ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଚଳଚ୍ଚିତ୍ର ସଂଘର କହିବା ଅନୁଯାୟୀ, ଷ୍ଟୁଡିଓ ଭିତରେ ଫିଲ୍ମ ସୁଟିଂ କରିବା ଏବେ କାଠିକର ପାଠ ହୋଇପଡ଼ିଛି। ଏତେ ଟଙ୍କା ଖର୍ଚ୍ଚ ପରେ ବି ଭିତରର ପରିବେଶ ସୁଟିଂ ପାଇଁ ଆଦୌ ଅନୁକୂଳ ନାହିଁ।
ବିଧାୟକ ସିଦ୍ଧାନ୍ତ ମହାପାତ୍ର ଉଠାଇଲେ ପ୍ରଶ୍ନ
କେବଳ ନିର୍ମାତା ସଂଘ ନୁହେଁ, ବରଂ ଓଲିଉଡର ସୁପରଷ୍ଟାର ତଥା ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର ମଧ୍ୟ କିଛି ଦିନ ତଳେ ଷ୍ଟୁଡିଓ ବୁଲି ଦେଖିବା ସହ ଏହାର ନିର୍ମାଣ କାର୍ଯ୍ୟା ଉପରେ ପ୍ରଶ୍ନ ଉଠାଇଥିଲେ। ଷ୍ଟୁଡିଓର ପୁନରୁଦ୍ଧାର ନାଁରେ କେଉଁଠି ଓ କେମିତି ଟଙ୍କା ଖର୍ଚ୍ଚ ହୋଇଛି, ତାର ସଠିକ୍ ଅଡିଟ୍ କରାଯାଉ ବୋଲି ସେ ଦାବି କରିଥିଲେ।
କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ ଶିଳ୍ପମନ୍ତ୍ରୀ
କଳିଙ୍ଗ ଷ୍ଟୁଡିଓକୁ ନେଇ ଚାଲିଥିବା ଏହି ବିବାଦ ଭିତରେ ସରକାରଙ୍କ ପକ୍ଷରୁ ବଡ଼ ବୟାନ ଆସିଛି। ରାଜ୍ୟ ଶିଳ୍ପମନ୍ତ୍ରୀ କହିଛନ୍ତି ଯେ, ଏହି ପ୍ରକଳ୍ପରେ ଯଦି କୌଣସି ପ୍ରକାରର ଦୁର୍ନୀତି କିମ୍ବା ଆର୍ଥିକ ହେରଫେର ହୋଇଛି, ତେବେ ସରକାରଙ୍କ ପାଖରେ ଲିଖିତ ଅଭିଯୋଗ ଆସିବା ମାତ୍ରେ ତୁରନ୍ତ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved